ଗାଈର ଖାଦ୍ୟ ପରିଚାଳନା by RFIS-ADVISORIES published on 2023-01-04T14:03:33Z ଗୋଟିଏ ଗାଈକୁ ଖାଦ୍ୟ ଭାବରେ ଆମେ ଦାନା, ଘାସ, ନଡା ଓ ପାଣି ଦେଉଛୁ । ସାଧାରଣତଃ ଆମେ ଏହି ୪ ଟି ଜିନିଷ କୁ ଖାଦ୍ୟ ଭାବରେ ଦେଉଛୁ । ଗୋଟିଏ ଜର୍ସି ଗାଇକୁ ଶରୀର ଠିକ ଭାବରେ ରହିବା ପାଇଁ ପାଖାପାଖି ୨ କିଲୋଗ୍ରାମ ଦାନା ସହିତ ପ୍ରତି ଲିଟର କ୍ଷୀର ପାଇଁ ୪୫୦ ଗ୍ରାମ ଦାନା ଦରକାର । ଯଦି ଗୋଟିଏ ଗାଈ ୧୦ ଲିଟର କ୍ଷୀର ଦେଉଥାଏ ତେବେ ଦେହ ପାଇଁ ୨ କିଲୋଗ୍ରାମ ଏବଂ କ୍ଷୀର ଉତ୍ପାଦନ ପାଇଁ ୪.୫ କିଲୋଗ୍ରାମ । ସମୁଦାୟ ୬.୫ କିଲୋଗ୍ରାମ ଦାନା ଖାଇବା ଆବଶ୍ୟକ । ଏହାକୁ ୨ ବା ୩ ଭାଗରେ ଦିଆଯାଇପାରିବ । ଘାସକୁ ଗାଈର ଶରୀର ଓଜନର ୧୦ ଭାଗରୁ ୧ ଭାଗ ଅର୍ଥାତ ଗୋଟିଏ ଗାଈକୁ ଦିନକୁ ୨୫-୩୦ କିଲୋଗ୍ରାମ ସବୁଜ ଘାସ ଖାଇବାକୁ ଦେବା ଦରକାର । ନଡା କୁ ୪୦ ଭାଗରୁ ୧ ଭାଗ ଅର୍ଥାତ ୭-୮ କିଲୋଗ୍ରାମ ଦେବା ଆବଶ୍ୟକ । ନଡା ଏବଂ ଘାସକୁ ଖାଇବାକୁ ଦେବା ସମୟରେ ଛୋଟ ଛୋଟ ଖଣ୍ଡ କରି ନଡା ୨ ଭାଗ ଓ ଘାସ ୧ ଭାଗ ହିସାବରେ ଖାଇବାକୁ ଦେବା ଆବଶ୍ୟକ । ଏହାଦ୍ଵାରା ଗାଈର ହଜମ ଭଲରେ ହୋଇଥାଏ । ପାଣି ମଧ୍ୟ ଗାଈ ଶରୀର ପାଇଁ ଅତ୍ୟନ୍ତ ଆବଶ୍ୟକ ହୋଇଥାଏ । ପାଣି ଗାଈର ଶରୀରକୁ ଥଣ୍ଡା ରଖିବାରେ ସାହାଯ୍ୟ କରେ, ଖାଦ୍ୟ ହଜମରେ ସହାୟକ ହୁଏ, ଝାଡା ଠିକ ଭାବରେ ହୋଇଥାଏ ଏବଂ ଶରୀରରେ ଯେଉଁ ବିଷ ପ୍ରକ୍ରିୟା ସୃଷ୍ଟି ହୁଏ ତାକୁ ବାହାର କରିବାରେ ସହାୟକ ହୋଇଥାଏ । ତେଣୁ ଗୋଟିଏ ଗାଈକୁ ଯଥେଷ୍ଟ ପାଣି ଦେବା ଆବଶ୍ୟକ । ଗୋଟିଏ ଦୁଧିଆଳୀ ଗାଇ ଯଦି ୧୦ ଲିଟର କ୍ଷୀର ଦେଉଥାଏ ତେବେ ତାକୁ ୭୦-୮୦ ଲିଟର ପାଣି ଆବଶ୍ୟକ ହୋଇଥାଏ ଓ ଏହାଦ୍ଵାରା ଗାଈର ହଜମ ପ୍ରକ୍ରିୟା ଭଲ ହେବା ସହିତ କ୍ଷୀର ଉତ୍ପାଦନ ଭଲ ହୋଇଥାଏ ଓ କ୍ଷୀରର ମାନ ମଧ୍ୟ ବୃଦ୍ଧି ପାଇଥାଏ । କମ ପାଣି ପିଇବା ଦ୍ଵାରା କ୍ଷୀର ଉତ୍ପାଦନ ଓ କ୍ଷୀରର ମାନ ମଧ୍ୟ କମିଥାଏ । ତେଣୁ ଗାଇକୁ ଯଥେଷ୍ଟ ପାଣି ଦେବା ଆବଶ୍ୟକ । ଗାଈକୁ ଖାଦ୍ୟ ସହିତ ୪୦-୫୦ ଗ୍ରାମ ଲୁଣ ଦେବା ଉଚିତ । ଗାଈ କ୍ଷୀର ଦେବା ଯୋଗୁଁ ତା ଦେହରୁ କ୍ଷୀର ସହିତ ଲବଣ ଅଂଶ ମଧ୍ୟ କମିଥାଏ ତେଣୁ ଘାସ ସହିତ ମିନେରାଲ ମିକଶ୍ଚର ମିଶାଇ ଦେଲେ ଗାଈର ଶରୀର ଠିକ ରହିବା ସହିତ ହାଡ ମଜବୁତ ହୋଇଥାଏ ଓ ଠିକ ପରିମାଣରେ କ୍ଷୀର ମଧ୍ୟ ଦେଇଥାଏ । ଘାସରେ ଭିଟାମିନ ‘କ ଥାଏ ଯାହା ଶରୀରକୁ ଚିକ୍କଣ ରଖିବାରେ ସହାୟକ ହୁଏ ଏହାଦ୍ୱାରା କ୍ଷୀର ଚିକ୍କଣ ରହିବା ସହିତ ଥନହରା ରୋଗର ଆଶଙ୍କା କମ ରହେ ଏବଂ ଗଣ୍ଠି ଫୁଲା ମଧ୍ୟ କମ ହୁଏ । ତେଣୁ ଗାଈ ମାନଙ୍କୁ ଯଥେଷ୍ଟ ପରିମାଣରେ ଘାସ ଦେବା ଫଳରେ ରୋଗପ୍ରତିରୋଧକ ଶକ୍ତି ବୃଦ୍ଧି ପାଇଥାଏ । ଘାସ ଖାଦ୍ୟ ହଜମ କରିବାରେ ସାହାଯ୍ୟ କରିଥାଏ । ଘାସ ଓ ନଡା ଖାଇବା ଦ୍ଵାରା ଗାଈ ପେଟରେ ସୃଷ୍ଟି ହେଉଥିବା ଏସିଡ କମାଇବାରେ ସାହାଯ୍ୟ କରି ଖାଦ୍ୟକୁ ହଜମ କରାଇଥାଏ । ଏହାଦ୍ଵାରା ପାଟିରୁ ନାଳ ଅଂଶ ମଧ୍ୟ ବାହାରେ ଯାହା ଖାଦ୍ୟକୁ ଭଲ ଭାବରେ ହଜମ କରିଥାଏ । ଘାସ ମଧ୍ୟ ଦେହକୁ ଥଣ୍ଡା ରଖେ । ଘାସର ଅନେକ ଉପକାରିତା ରହିଛି । ଗୋଖାଦ୍ୟ ମଧ୍ୟରେ ଘାସର ଏକ ପ୍ରମୁଖ ଭୂମିକା ରହିଛି । ଘାସର ଅଭାବରେ ପ୍ରଜନନ କ୍ଷମତା ମଧ୍ୟ କମିଥାଏ । ତେଣୁ ଯଦି ଗାଈକୁ ଦିନକୁ ୨୦-୨୫ କିଲୋଗ୍ରାମ ଘାସ ଖାଇବାକୁ ଦେବା ତେବେ ଗାଇର କ୍ଷୀର ଉତ୍ପାଦନ ଠିକ ରହିବା ସହିତ ପ୍ରଜନନ କ୍ଷମତା ମଧ୍ୟ ଭଲ ହେବ ।