ଗୋରୁଗାଈ ମାନଙ୍କର ଚର୍ମ ବିଣ୍ଡି ବସନ୍ତ ରୋଗର ଲକ୍ଷଣ by RFIS-ADVISORIES published on 2023-01-20T11:37:50Z ଗୋରୁଗାଈ ମାନଙ୍କର ‘’ଚର୍ମ ବିଣ୍ଡି ବସନ୍ତ ରୋଗ’’ ଏକ ଭୂତାଣୁ ଜନିତ ରୋଗ । ଏହି ରୋଗ କାପ୍ରିପକ୍ସ ନାମକ ଏକ ଭାଇରସ ଦ୍ଵାରା ବ୍ୟାପିଥାଏ । ମଶା, ଡାଆଁଶ ଓ ଟିଙ୍କ ମାନେ ଏହି ରୋଗର ବାହକ ଭାବରେ କାର୍ଯ୍ୟ କରନ୍ତି । ଘା, ରକ୍ତ, ଲାଳ, ଶିଙ୍ଘାଣି ଓ ଶୁକ୍ର ଦ୍ୱାରା ଏହି ରୋଗ ଗୋଟିଏ ପଶୁର ଶରୀର ରୁ ଅନ୍ୟ ପଶୁର ଶରୀରକୁ ସଂକ୍ରମିତ ହୋଇଥାଏ । ଏହି ରୋଗ ହେଲେ ଗୋରୁଗାଈଙ୍କର ମୁଣ୍ଡ, ବେକ, ଗୋଡ ଓ ପହ୍ନା ଆଦିରେ ଆବୁ ବାହାରିଲା ପରି ଫୁଲା ଦେଖାଯାଏ । ଆବୁ ଗୁଡିକ ଗୋଲାକାର, ଦେଖିବାକୁ କଳା ରଙ୍ଗର ଓ ଛୁଇଁଲେ ଟାଣ ଲାଗିଥାଏ । ଛୋଟ ଆକୃତିର ଆବୁ ଗୁଡିକ ଆପେ ଆପେ ମିଳେଇ ଯାଏ କିନ୍ତୁ, ଅପେକ୍ଷାକୃତ ବଡ ଆବୁ ଗୁଡିକ ଗାଈ ଗୋରୁଙ୍କର ଶରୀରରେ କିଛି ମାସ ପର୍ଯ୍ୟନ୍ତ ରହିଥାଏ । ଆକ୍ରାନ୍ତ ଗାଈ ଗୋରୁଙ୍କର ଶରୀରର ତାପମାତ୍ରା ବୃଦ୍ଧି ଘଟି ସେମାନେ ଜ୍ଵରରେ ପଡନ୍ତି ଓ ଚାଲିବାରେ କଷ୍ଟ ଅନୁଭବ କରନ୍ତି । ଏଥି ସହିତ ଗାଈ ମାନଙ୍କର ପାଦ ଫୁଲିଯିବା, ଦୁଗ୍ଧ ଉତ୍ପାଦନ ହ୍ରାସ, ଗର୍ଭପାତ, ବନ୍ଧ୍ୟାକରଣ, ନିମୋନିଆ ଏବଂ ବେଳେବେଳେ ପଶୁଙ୍କ ମୃତ୍ୟୁ ମଧ୍ୟ ହୋଇଥାଏ ।