ଗାଈର ଯତ୍ନ ଓ ପରିଚାଳନା by RFIS-ADVISORIES published on 2023-01-04T13:57:08Z ଗୋଟିଏ ଦୁଧିଆଳୀ ଗାଈ ରଖିବାକୁ ହେଲେ ଏହାର ଯତ୍ନ ବିଷୟରେ ଜାଣିବାକୁ ପଡିବ । ଗାଈଟି ଯେତିକି କ୍ଷୀର ଦେଉଥିବ ସେହି ଅନୁସାରେ ତାକୁ ଖାଦ୍ୟ ଦେବାକୁ ହେବ । ପ୍ରତି ୨.୫ ଲିଟର କ୍ଷୀର ପାଇଁ ୧ କିଲୋଗ୍ରାମ ଦାନା, ଶରୀର ପାଇଁ ୧ କିଲୋଗ୍ରାମ ଦାନା, ୨୦ କିଲୋଗ୍ରାମ ଘାସ, ୨୦ କିଲୋଗ୍ରାମ ନଡା ଓ ୫୦ ରୁ ୬୦ ଲିଟର ପାଣି ନିୟମିତ ଦେବାକୁ ପଡିବ । ଗାଈକୁ ଭଲ ସ୍ଥାନରେ ବାନ୍ଧିବା ଦରକାର, ଗୁହାଳ ପରିଷ୍କାର ରହିବା ଆବଶ୍ୟକ । ଗୁହାଳ ଚାରିକଡରେ କୌଣସି ବୁଦାଳିଆ ଘାସ କିମ୍ବା ଅପରିଷ୍କାର ନ ରହିବା ଉଚିତ । ଗୋବରକୁ ଗୁହାଳ ଠାରୁ ଦୂରରେ ପକାଇବା ଉଚିତ । ଗୁହାଳ କୁ ଦିନକୁ ୩-୪ ଥର ସଫା କରିବା ଆବଶ୍ୟକ । ଗୁହାଳର ନାଳକୁ ଅତିକମରେ ୧୫-୨୦ ଫୁଟ ଲମ୍ବା କରାଯିବା ଆବଶ୍ୟକ । ଯାହାଦ୍ୱାରା ମୁତ୍ର ଓ ଗୋବର ଦୂରକୁ ଯିବ । ଗାଇକୁ ଦିନକୁ ୩ ଥର ଅଳ୍ପ ଅଳ୍ପ କରି ଖାଇବାକୁ ଦେବା ଆବଶ୍ୟକ- ସକାଳେ, ମଧ୍ୟାହ୍ନରେ, ଅପରାହ୍ନରେ । ଗାଇମାନଙ୍କୁ ନିୟମିତ ସବୁଜ ଘାସ ଖାଇବାକୁ ଦେବା ଉଚିତ । ଜର୍ସି ଓ ଶଙ୍କର ଜାତୀୟ ଗାଈ ମାନଙ୍କୁ ନିୟମିତ ଗାଧୋଇ ଦେବା ଆବଶ୍ୟକ । ଦେଶୀ ଗାଈ ମାନଙ୍କୁ କିଛି ଦିନ ଅନ୍ତରରେ ଗାଧୋଇ ଦେବା ଭଲ । କଥାରେ ଅଛି ଗାଈ ମୁହଁରେ କ୍ଷୀର, ଅର୍ଥାତ୍ ଯଦି ଗାଈ ଭଲ ଖାଇବ ତେବେ ଭଲ କ୍ଷୀର ଦେବ । ଗାଈ କିଣିବା ସମୟରେ ସଠିକ ଗାଈ ଚୟନ କରିବା ଆବଶ୍ୟକ । ଭଲ ଗାଈ ମାନେ ଭଲ କ୍ଷୀର ଦେଇଥାନ୍ତି । ଗାଈ କିଣିବା ସମୟରେ ଗାଇର ପୂର୍ବ ବଂଶଜ ମାନେ କେଉଁ ପ୍ରକାରର ତାକୁ ମଧ୍ୟ ନଜରରେ ରଖିବା ଆବଶ୍ୟକ । ଗାଈର ମାଆ ଟି ଯଦି ଭଲ ଗାଈ ହୋଇଥିବ ତେବେ ସେହି ଗାଈଟି ନିଶ୍ଚୟ ଭଲ ହେବ । ଗାଈର ସ୍ୱାସ୍ଥ୍ୟ ଭଲ ରଖିବାକୁ ହେଲେ ବର୍ଷକୁ ୨ ଥର ଗୋବର ପରୀକ୍ଷା କରି କୃମି ଔଷଧ ଦେବାକୁ ହେବ ଏବଂ ବିଭାଗ ତରଫରୁ ଯେତେବେଳେ ପ୍ରତିଷେଧକ ଟୀକା ଦାନ ବ୍ୟବସ୍ଥା ହେଉଥାଏ ସେହି ସମୟରେ ଟୀକା ଦେବା ଆବଶ୍ୟକ । ବର୍ତ୍ତମାନ ବିଭାଗ ତରଫରୁ ଗାଈ ମାନଙ୍କ ପାଇଁ ୪-୫ ପ୍ରକାର ଟୀକା କୁ ସମୟ ଅନୁସାରେ ଦେବାକୁ ପଡିବ । ଏହା ଦ୍ଵାରା ଗାଈମାନଙ୍କୁ ବିଭିନ୍ନ ସଂକ୍ରାମକ ରୋଗରୁ ରକ୍ଷା କରିହେବ । ଏହାଛଡା ଗାଈମାନଙ୍କର ଅକସ୍ମାତ ସ୍ୱାସ୍ଥ୍ୟ ଖରାପ ହେଲେ ଏହାର ସଠିକ ଯତ୍ନ ନେଇ ଏହାକୁ ଭଲ କରିବାକୁ ପଡିବ । ଗୁହାଳର ଚାରିକଡରେ ଝରକା ପତନ ଉପରକୁ ଜାଲ ବାନ୍ଧି ମଶା, ମାଛି ଙ୍କ ଦାଉରୁ ମଧ୍ୟ ରକ୍ଷା କରିପାରିବା । ଗାଈମାନଙ୍କର ଲୋମ କୁ ଯଥା ସମୟରେ କୁଣ୍ଡାଇବା ଫଳରେ ଟିଙ୍କ, ଉକୁଣୀ, ପୋକ ଆଦି ଗାଈମାନଙ୍କୁ ଆକ୍ରମଣ କରିପାରିବେ ନାହିଁ । ଏହିପରି ଭାବରେ ଗାଈମାନଙ୍କୁ ରଖିଲେ ସେମାନଙ୍କୁ କୌଣସି ରୋଗ ହୋଇ ନଥାଏ ।